ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୀଳାଚଳ ଏକ୍ସପ୍ରେସ୍

0

ପୁଣି ଏକ ଭୟଙ୍କର ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଗରମରୁ ଟ୍ରାକ୍ ବଙ୍କା ହୋଇଯାଇଥିଲା କିନ୍ତୁ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଲକ୍ଷ୍ନୌର ନିଗୋହା ରେଲୱେ ଷ୍ଟେସନରେ ବଙ୍କା ହୋଇଯାଇଥିଲା ଟ୍ରାକ । ଏହି ଟ୍ରାକରେ ନୀଳାଚଳ ଏକ୍ସପ୍ରେସ ଯାଇଥିଲା । ଫଳରେ ଲୋକୋ ପାଇଲଟ ଝଟକା ଅନୁଭୂତ କରିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରେନକୁ ରୋକି ଦେଇଥିଲେ । ଟ୍ରେନକୁ ରୋକିବା ପରେ ଏହାର ସୂଚନା ଅଧିକାରୀଙ୍କୁ ଦେଇଥିଲେ । ପରେ ଡିଆରଏମ ପୁରା ମାମଲାର ଯାଞ୍ଚ କରିବା ପାଇଁ ଆଦେଶ ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ନିଗୋହା ରେଲଷୱ ଷ୍ଟେସନ ନିକଟରେ ନୀଳାଚଳ ଏକ୍ସପ୍ରେସ ଏହି ବଙ୍କା ଟ୍ରାକରେ ଯାଇଥିଲା । ତେବେ ନୀଳାଚଳ ଏକ୍ସପ୍ରେସ ଯେଉଁଟ୍ରାକରେ ଯାଇଥିଲା, ସେହି ଟ୍ରାକର ୭ ମିଟର ପର୍ୟ୍ୟନ୍ତ ଟ୍ରାକ୍ ବଙ୍କା ହୋଇଯାଇଥିଲା । ଲୋକୋ ପାଇଲଟ ଝଟକା ଅନୁଭୂତ କରି ଟ୍ରେନକୁ ରୋକି ରେଲୱେ ଅଧିକାରୀଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ । ରେଲୱେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗରମ ଯୋଗୁଁ ଟ୍ରାକ ବଙ୍କା ହୋଇଥିବା ଖବର ଦେଇଥିଲେ । ତା’ ପରେ ଟ୍ରାକ ସଜଡାଯିବା ପରେ ଟ୍ରେନ ଗତି କରିଥିଲା ।

ଦେଶର ଅଧିକାଂଶ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଭୀଷଣ ଗରମ । ଏଥିପାଇଁ ବାଲିଆରେ ଗରମ ଯୋଗୁଁ ରେଲୱେ ଟ୍ରାକ୍ ବଙ୍କା ହୋଇଯାଇଥିଲା । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଗତ କିଛି ଦିନ ଧରି ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ରହୁଛି । ଉତ୍ତର ପ୍ରଦେଶ ଓ ବିହାରରେ ପ୍ରବଳ ଗରମ ଓ ଲୁ କାରଣରୁ ଅଂଶୁଘାତରେ ୧୦୦ ଲୋକ ମୃତ୍ୟୁ ମୁଖରେ ପଡିଲେଣି । ଉତ୍ତରପ୍ରଦେଶ ବାଲିଆରେ ଗତ ୭୨ ଘଣ୍ଟା ମଧ୍ୟରେ ୫୪ ଜଣଙ୍କ ମୃତ୍ୟୁ ଘଟିଛି । ଏଠାରେ ୩ ଦିନରେ ୪୦୦ ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।