ରାବଡୀଙ୍କ ବଡ ବୟାନ: ମହା ମେଣ୍ଟରେ ସାମିଲ ହେବେ ନିତୀଶ

0

ପାଟନା: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ଏକ ବୟାନକୁ ନେଇ ବିହାର ରାଜନୀତି ସରଗରମ । ରାବଡୀଙ୍କ ଅନୁଯାୟୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହାମେଣ୍ଟରେ ପୁଣି ସାମିଲ ହେବାକୁ ଯାଉଛନ୍ତି । ନୂଆବର୍ଷ ଆରମ୍ଭରୁ ରାବଡୀ ଦେବୀ ଏହି ବୟାନ ପରେ ବିଜେପି-ଜେଡିୟୁ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁଶୀଲ ମୋଦୀ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଲାଲୁଙ୍କ ଦଳ ବିଧାୟକଙ୍କୁ ଦଳବଦଳରୁ ଅଟକାଇ ପାରିନ ଥିଲା । ଜେଡିୟୁ ପକ୍ଷରୁ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରୀ ଦେବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ବିହାରବାସୀ ସମସ୍ତ ମିଥ୍ୟା ପ୍ରତିଶ୍ରୁତିର ଜାଲରେ ପଡି ନଥିଲେ । ଫଳରେ ବିଜେପି-ଜେଡିୟୁ ସରକାର ଗଠନକରିବାରେ ସକ୍ଷମ ହୋଇଥିଲେ । ରାବଡୀଙ୍କ ପୂର୍ବରୁ ଅନେକ ଆରଜେଡି ନେତା ଏନଡିଏ ଭାଙ୍ଗିବା ନେଇ କହିଆସୁଥିଲେ ମଧ୍ୟ ଏଥିରେ ସତ୍ୟତା ନାହିଁ ।
ଜେଡିୟୁ ମୁଖପାତ୍ର ସଞ୍ଜୟ ସିଂ କହିଛନ୍ତି ଯେ, ଆରଜେଡି ସରକାର ଗଠନ କରିବା ସମସ୍ତ ଫାନ୍ଦି ଫିକର କରିଚାଲିଛି । ଆରଜେଡି ଯାହା ବି କରୁ ନୀତିଶ ଏନଡିଏ ସହ ରହିବେ । ଏହାପୂର୍ବରୁ ଜେଡିୟୁର ବରିଷ୍ଠ ନେତା ନାରାୟଣ ସିଂ ରାବଡୀ ଦେବୀଙ୍କ ବୟାନକୁ ହାସ୍ୟାସ୍ପଦ କହିଥିଲେ ।