୧୮ ତାରିଖରେ ପରିକ୍ରମା ମାର୍ଗ ପ୍ରସ୍ତୁତ କରିବେ ମୁଖ୍ୟମନ୍ତ୍ରୀ

0

ଗୋପ(ଜୟନ୍ତକୁମାର ସେଠୀ) : ଏନଏମ ର ଅନୁମତି ମିଳିବା ପରେ ଆସନ୍ତା ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭାରମ୍ଭ କରିବେ। ଶ୍ରୀମନ୍ଦିର ଐସାଣ୍ୟ କୋଣରେ ଏହି କାର୍ୟ୍ୟ କରାଯିବ। ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ସହ ହବିଷ୍ୟାଳୀଙ୍କ ପାଇଁ କଟକଣା ରହିବ। କାର୍ତ୍ତିକ ମାସରେ ତିନିଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତଙ୍କୁ ସୁବିଧାରେ ମହାପ୍ରସାଦ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସ ଠାରେ ଆଜି ନୀତି ଓ ଅର୍ଥ ସବକମିଟିର ବୈଠକ ପରେ ବସିଥିଲା ଛତିଶା ନିଯୋଗ ବୈଠକ। ଅର୍ଥ ସବକମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୦ କୋଟି ୨୬ ଲକ୍ଷ ୫ ହଜାର ୩ ଶହ ୬ଟଙ୍କାର ବଜେଟ ଆଗତ କରାଯାଇଛି। ଚଳିତ ମାସ ୧୬ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ୟ୍ୟନ୍ତ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ ଚୁଡାନ୍ତ ହୋଇଛି । ଚଳିତ ମାସ ୧୫ ତାରିଖରେ ପଡୁଥିବା ଦଶହରାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ତେବେ ୨୦ ତାରିଖରେ ପଡୁଥିବା କୁମାରପୂର୍ଣ୍ଣିମାରେ ଖୋଲା ରହିବ ମନ୍ଦିର। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସଂଶୋଧିତ ଏସ ଓପି ଜାରୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ନଭେମ୍ବର ୪ ତାରିଖରେ ଦିପାବଳୀ, ୧୫ ରେ ଏକାଦଶୀ ଓ ୧୯ ରେ କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ଓ ଛତିଶା ନିଯୋଗର ସମସ୍ତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।