୬୭ବର୍ଷ ବୟସରେ ପାଦ ଥାପିଛନ୍ତି ମହାମହିମ, ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

0

ନୂଆଦିଲ୍ଲୀ: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୭ତମ ଜନ୍ମଦିବସ । ତାଙ୍କର ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।୧୯୫୮ ମସିହା ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗାଁରେ ଜନ୍ମ ଗ୍ରହଣ କରିଥିଲେ ମହାମହିମ । ଭାରତର ରାଷ୍ଟ୍ରପତି ହେବାରେ ସେ ହେଉଛନ୍ତି ପ୍ରଥମ ଆଦିବାସୀ ।ମୟୂରଭଞ୍ଜ ପରି ଏକ ପଛୁଆ ଜିଲ୍ଲାରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାକୁ ବିଶ୍ୱବିଦିତ କରିଛନ୍ତି । ଜଙ୍ଗଲ ମାଟିରୁ ସେ ଯାଇଛନ୍ତି ରାଇସିନା ହିଲ୍‌ । ତିନି ସେନାର ସେନା ନାୟକ ମହାମହିମ ପଦରେ ଅବସ୍ଥାପିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ ।ଦ୍ରୌପଦୀଙ୍କ ମୂଳନାମ ଥିଲା ପୁତିଟୁଡୁ । ତାଙ୍କୁ ତାଙ୍କ ସ୍କୁଲରେ ଶିକ୍ଷକ ଦ୍ରୌପଦୀ ନାମ ଦେଇଥିଲେ । ତାଙ୍କ ନାମ ଅନେକଥର ପରିବର୍ତ୍ତନ କରାଯାଇଥିଲା ।ତାଙ୍କ ପିତାଙ୍କ ନାମ ଥିଲା ବିରଞ୍ଜି ନାରାୟଣ ଟୁଡୁ । ତାଙ୍କ ବାପା ଓ ଜେଜେ ବାପା ଉଭୟ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଗାଁ ମୁଖିଆ ଥିଲେ ।

ଦ୍ରୌପଦୀ ମୁର୍ମୁ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ।ତା’ପରେ ଭୁବନେଶ୍ୱର ଆସି ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ । ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିଥିଲେ ଦ୍ରୌପଦୀ ମୁର୍ମୁ । ବିବାହ ପରେ ଦ୍ରୌପଦୀ ନିଜ ସାଙ୍ଗିଆ ଟୁଡ଼ୁରୁ ମୁର୍ମୁକୁ ପରିବର୍ତ୍ତିତ କରିଥିଲେ । ତାଙ୍କ ଔରସରୁ ଜନ୍ମ ନେଇଥିଲେ ଲକ୍ଷ୍ମଣ ମୁର୍ମୁ ଏବଂ ସିପୁନ୍‌ ମୁର୍ମୁ ନାମକ ଦୁଇ ପୁଅ ଓ ଇତିଶ୍ରୀ ନାମ୍ନୀ ଜଣେ କନ୍ୟା ।ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ୨୦୦୯ ରୁ ୨୦୧୩ ମସିହା, ମାତ୍ର ୪ ବର୍ଷ ଭିତରେ ଆରପାରିକୁ ଆଗପଛ ହୋଇ ଚାଲିଯାଇଥିଲେ ତାଙ୍କ ସ୍ୱାମୀ ଓ ଦୁଇପୁଅ । ମାତ୍ର ଅଳ୍ପ ବୟସରେ ସମସ୍ତଙ୍କୁ ହରାଇ ଦ୍ରୌପଦୀ ସାମ୍ନା କରିଥିଲେ ତାଙ୍କ ଜୀବନର ସବୁଠୁ କଷ୍ଟ ଓ ଦୁଃଖ ସମୟ ।ସେତେବେଳେ ଅବସାଦରୁ ମୁକୁଳିବା ପାଇଁ ଧାର୍ମିକ ପଥକୁ ଚୟନ କରି ପ୍ରଜାପତି ବ୍ରହ୍ମକୁମାରୀ ସଂସ୍ଥାରେ ଯୋଗଦେଲେ । କିନ୍ତୁ ସମାଜ ପରିବର୍ତ୍ତନର ସକାରାତ୍ମକ ଇଚ୍ଛାଶକ୍ତି ତାଙ୍କୁ ପୁଣିଥରେ ଦମ୍ଭଦେଲା ଠିଆ ହେବାକୁ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ସରକାରଙ୍କ ଅଧୀନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟିକା ଭାବେ କାର୍ଯ୍ୟ କରିଥିଲେ ।ଏହାପରେ ରାଇରଙ୍ଗପୁର ଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ । ୧୯୯୭ ମସିହାରେ ପ୍ରଥମଥର ପାଇଁ ସେ ରାଜନୀତିରେ ପାଦ ଦେଇଥିଲେ।ପ୍ରଥମେ ଓ୍ବାର୍ଡସଭ୍ୟ ଏବଂ ପରେ ବିଜେପି ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଜେପି ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ।ଏହାପରେ ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷା ହୋଇଥିଲେ । ତେବେ ବିଜେପି ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିବାବେଳେ ସେ ୨୦୦୦ ଓ ୨୦୦୪ରେ ରାଇରଙ୍ଗପୁର ବିଧାୟିକା ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନା ଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏଥିସହ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ ରୁ ୨୦୦୪ ମେ ୧୬ ଯାଏଁ କାର୍ଯ୍ୟ କରିଥିଲେ।

୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଥିଲେ । ୨୦୧୩ ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ସେ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ ରୁ ଏପ୍ରିଲ ୧୦, ୨୦୧୫ ଯାଏଁ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଥିଲେ ।ଏହାପରେ ୨୦୧୪ରେ ବିଜେପି ଶାସନ କ୍ଷମତାକୁ ଫେରିବା ପରେ ପୁଣିଥରେ ଦ୍ରୌପଦୀ ମୁର୍ମୁ ରାଜନୀତିରେ ସକ୍ରିୟ ହେଲେ। ୨୦୧୫ରେ ସେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ଓ ୨୦୨୧ ଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୨୨ ମସିହାରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ ଦ୍ରୌପଦୀ ମୁର୍ମୁ । ନିଜ ବ୍ୟକ୍ତିତ୍ୱ, ଦୂରଦର୍ଶୀ ନେତୃତ୍ୱ ଓ ସମାଜ ସେବା ଜରିଆରେ ଦ୍ରୌପଦୀ ମୁର୍ମୁ ପ୍ରମାଣ କରିଦେଇଛନ୍ତି ଯେ ଯେତେବି ଜଟିଳ ପରିସ୍ଥିତି ଆସୁନା କାଇଁ ଜଣେ ମହିଳାର ଭାଗ୍ୟ କେବଳ ଘରର ଚାରିକାନ୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ । ଆଉ ସୁଦୂର ଜିଲ୍ଲାରୁ ଆସି ରାଷ୍ଟ୍ରପତି ଭବନରେ ତାଙ୍କ ପ୍ରବେଶ ସମସ୍ତଙ୍କ ପାଇଁ ସାଜିଛି ପ୍ରେରଣା ଦାୟୀ ଉଦାହରଣ । ୨୦୦୭ରେ ସେ ଲାଭକରିଥିଲେ ଶ୍ରେଷ୍ଠ ବିଧାୟିକା ପୁରସ୍କାର।