(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ବଡ ଦେଉଳର ଦ୍ୱାରରେ ଲାଗିବ ରୁପା ଚାଦର । ଶ୍ରୀମନ୍ଦିରରେ ଭିତରେ ଥିବା ୩ଟି ଦ୍ୱାରର କବାଟରେ ରୁପା ଚାଦର ଲାଗି ନୂଆ କବାଟ ତିଆରି ହେବ। ଶ୍ରୀମନ୍ଦିର ଭିତର ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର କବାଟରେ ରୁପା ଲାଗିବ। ଏହି ସବୁ ଦ୍ୱାର ବର୍ମା ଟିକ୍ କାଠରେ ତିଆରି କରାଯିବ । କବାଟ ଉପରେ ୧୪ରୁ ୧୮ ଗଜ ମୋଟେଇ ରୂପାର ଚାଦର ଆଚ୍ଛାଦିତ କରାଯିବ । ରାଜସ୍ଥାନର କାରିଗରମାନେ ଏହାର ଡିଜାଇନ୍ କରିବେ ବୋଲି ଜଣାପଡିଛି । ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି । ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟ ବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ । ଅନ୍ୟପଟେ ଶ୍ରୀମନ୍ଦିରର ଚାରି ଦ୍ୱାର କବାଟରେ ମଧ୍ୟ ରୁପା ଲଗାଇବା ପାଇଁ ଅନେକ ଭକ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଯୋଗ କରଛନ୍ତି। ଯଦି ଭକ୍ତ ମାନେ ଦାନ କରିବେ ପରବର୍ତ୍ତୀ ପର୍ୟ୍ୟାୟରେ ଶ୍ରୀମନ୍ଦିର ଚାରି ଦ୍ୱାର କବାଟରେ ମଧ୍ୟ ରୁପା ଲଗାଇବା ପାଇଁ ବ୍ୟବସ୍ଥା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି।