ନୂଆଦିଲ୍ଲୀ: ଲଦ୍ଦାଣ ବାଇକ ରାଇଡରେ ବାହାରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାର କିଛି ଫଟୋ ଏବେ ସମ୍ନାକ ଆସିଛି । ରାହୁଲ ଗାନ୍ଧୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି । ଆଉ ଳେଖିଛନ୍ତି, ପେଙ୍ଗଙ୍ଗ ହ୍ରଦକୁ ଯାତ୍ରା କରୁଛି । ମୋ ବାପା କହୁଥିଲେ ଏହା ବିଶ୍ୱର ଅନ୍ୟତମ ସୁନ୍ଦର ସ୍ଥାନ । କଂଗ୍ରେସର ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ଏହି ଫଟୋ ଗୁଡିକୁ ସେୟାର କରାଯାଇଛି । ରାହୁଲ ନିଜେ ବାଇକ ଚଲାଇ ପୂର୍ବ ଲଦ୍ଦାଖରେ ଥିବା ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ପେଙ୍ଗଙ୍ଗ ହ୍ରଦ ନିକଟରେ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ ରାହୁଲ ଆଜି ସେଠାରେ ରାତ୍ରୀ ଯାପନ କରିବେ । ଏହାସହ ଆସନ୍ତାକାଲି ପେଙ୍ଗଙ୍ଗ ହ୍ରଦ ନିକଟରେ ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରିବେ ରାହୁଲ । ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ରାହୁଲ ଗାନ୍ଧୀ ତାଙ୍କ କାର୍ୟ୍ୟକ୍ରମରେ ପରିବର୍ତନ କରିଛନ୍ତି । ଅଗଷ୍ଟ ୨୫ ତାରିଖ ଯାଏଁ ରାହୁଲ ସେଠାରେ ରହିବେ ବୋଲି ସୂଚନା ମିଳିଛି ।