ହାଟଡିହି /ବିଭୂତି ଭୂଷଣ ଜେନା : ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ଓରାଳି ଗାଁରେ ଗତ ବୁଧବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଥିଲା । ସେଥିରେ ସେହି ଗ୍ରାମର ମହିଳା ପ୍ରମିଳା ମାଝୀଙ୍କ ଦୁଇବଖରା ଘର ଜଳିଯିବା ସହିତ ନିଜ ଝିଅ ବାହାଘର ପାଇଁ ସଞ୍ଚିଥିବା ସମସ୍ତ ସାମଗ୍ରୀ ନିଆଁର କରାଳ ଆଁରେ ପୋଡି ଧ୍ୱସଂ ହୋଇଯାଇଥିଲା । କେବଳ ନିଜ ପିନ୍ଧା ବସ୍ତ୍ର ଖଣ୍ଡିକ ବ୍ୟତୀତ ଅନ୍ୟ କିଛି ବି ତାଙ୍କର ଉଦ୍ଧାର ହୋଇପାରି ନଥିଲା । ଏ ସମ୍ପର୍କରେ ଖବରପାଇ ସାନଭି ସେବା ଟ୍ରଷ୍ଟର ସଦସ୍ୟମାନେ ସେହି ରାତିରେ ପହଞ୍ଚି ନିଆଁକୁ ଆୟତ କରିବାରେ ସହଯୋଗ କରିବା ସହିତ ଉଦ୍ଧାର କରିଥିଲେ । ଆଜି ସକାଳେ ସାନଭି ସେବା ଟ୍ରଷ୍ଟର ମୁଖ୍ୟ ଉପଦେ୍ଦଷ୍ଟା ଦିଲ୍ଲିପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶିବବ୍ରତ ପଣ୍ଡା, ତପନ କୁମାର ବଳ, ନିଶିକାନ୍ତ ରାଉତ, ଭାଗିରଥି ନାୟକ, ସନ୍ତୋଷ ପରିଡା, ନବଘନ ପଢ଼ିଆରୀ ପ୍ରମୁଖ ଓରାଳି ଗ୍ରାମରେ ପହଞ୍ଚି ତାଙ୍କୁ ମାସକର ରେସନ ସାମଗ୍ରୀ ସହିତ ଶୁଖିଲା ଖାଦ୍ୟ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ହାଟଡିହି ଅଞ୍ଚଳରେ ଥିବା ସ୍ୱେଚ୍ଛାସେବୀ ମାନେ ତାଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।