ନୂଆଦିଲ୍ଲୀ-: ଦିଲ୍ଲୀରେ ଶେଷ ହୋଇଛି ନିତି ଆୟୋଗର ୧୦ମ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିକଶିତ ଭାରତର ନକ୍ସା ଆଙ୍କିଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ ସଂକଳ୍ପକୁ ସତ କରିବାକୁ ଆହ୍ବାନ ଦେଇଛନ୍ତି ମୋଦୀ । ଏହାଛଡା ଅତି କମ୍ରେ ଗୋଟିଏ ପର୍ଯ୍ୟଟନସ୍ଥଳୀକୁ ଅନ୍ତର୍ଜାତୀୟମାନର କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକଶିତ ଭାରତ @୨୦୪୭ ଦୃଷ୍ଟିକୋଣ ପାଇଁ ସମସ୍ତ ରାଜ୍ୟକୁ ଏକତ୍ର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଅପରେସନ୍ ସିନ୍ଦୂରର ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଡବଲ ଇଂଜିନ ସରକାର ଯୋଗୁ ଭାରତର ବିକାଶ ଅଭିବୃଦ୍ଧି ୬.୫% ଏବଂ ଓଡ଼ିଶାର ବିକାଶ ଅଭିବୃଦ୍ଧି ୭.୨% ସମ୍ଭବ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦ୍ରୁତ ବିକାଶ କ୍ଷେତ୍ରରେ ବଢୁଛି ଭାରତ । ଆଗାମୀ ୨୫ ବର୍ଷରେ ଦେଶର ବିକାଶର ଇଞ୍ଜିନ ସାଜି ଓଡ଼ିଶା ଉଭା ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୋହନ ।