ପୁରୀ/ ସଞ୍ଜୟ ମହାପାତ୍ର : ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ବହୁ ଚର୍ଚ୍ଚିତ ସେବାୟତ କାଳିଆ ପଢ଼ିଆରୀ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଜଗନ ଖଟେଇ ଗିରଫ। ପୋଲିସ ସ୍କାନରରେ ଥିଲା ଜଗନ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଜଗନ ହଳଦିଆ ଛକ ଠାରେ କିଛି କ୍ରିମିନାଲଙ୍କୁ ବନ୍ଧୁକ ବିକ୍ରି କରିବା ପାଇଁ ଅପେକ୍ଷା କରିଥିଲା । ଏନେଇ ସଦର ଥାନା ପୋଲିସର ପେଟ୍ରୋଲିଙ୍ଗ ଟିମ ନିକଟରେ ଖବର ପହଞ୍ଚିବା ପରେ ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ପୋଲିସ ଘଟଣା ସ୍ଥଳରୁ ଜଗନକୁ ଅଟକ ରଖି ପଚରା ଉଚରା କରିଥିବା ବେଳେ ସେ ସେବାୟତ କାଳିଆ ପଢ଼ିଆରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣା ପଡିଥିଲା । ପରେ ଜଗନ ଘରେ ପୋଲିସ ଚଢ଼ାଉ କରି ଖାନତଲାସି କରିଥିଲା । ତେବେ ଖାନତଲାସୀ କରିବା ପରେ ତା ଘରୁ ଗୋଟିଏ ପିସ୍ତଲ, ଗୋଟିଏ ରିଭଲଭର, ଗୋଟିଏ ଜୀବନ୍ତ ଗୁଳି ଓ ମୋବାଇଲ ଫୋନ ଜବତ କରାଯାଇଥିଲା | ତେବେ ଅଭିଯୁକ୍ତ ଜଗନକୁ ତୁରନ୍ତ ଗିରଫ କରାଯାଇଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଜଗନ ବିରୁଦ୍ଧରେ ପୁରୀ ଟାଉନ ଥାନାରେ ଏକ ହତ୍ଯା ମାମଲା ସହ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୁରୀ ପୋଲିସ।