ନୂଆ ଫିଚର ଆଣିଲା ହ୍ୱାଟସଆପ୍, ମେସେଜ୍ ପଢିବା ହେଲା ଆହୁରି ସହଜ

0

ନୂଆଦିଲ୍ଲୀ: କଣ ଆପଣ ବି ଅନେକ ସମୟରେ ମେସେଜ୍ ପଢିବାକୁ ଭୁଲିଯାଉଛନ୍ତି କି? କିମ୍ବା ବେଳେ ବେଳେ ଅନେକ ଗୁଡିଏ ମେସେଜ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଏକ ଦମଦାର ଫିଚର ଆଣିଛି ହ୍ୱାଟସଆପ୍  । ହ୍ୱାଟସଆପ୍ ଏବେ ଏକ ନୂତନ ଏଆଇ ଫିଚର୍ ଲଞ୍ଚ କରିଛି  । ଯାହା ଆପଣଙ୍କୁ ଏପରି ସମସ୍ୟାରୁ ସହଜରେ ବାହାର କରିପାରିବ  । ଏହି ଫିଚରର ନାମ AI Summarize ଏବଂ ଏହାର କାମ ହେଉଛି ଆପଣଙ୍କର ସମସ୍ତ ଅନରିଡ୍ ମେସେଜ୍ ର ଏକ ଛୋଟ ଏବଂ ସହଜ ସାରାଂଶ ପ୍ରସ୍ତୁତ କରିବା ।

ହ୍ୱାଟସଆପର ଏହି ନୂତନ ଏଆଇ ଫିଚର ଗ୍ରୁପ୍ ଚାଟ୍ ଏବଂ ବ୍ୟକ୍ତିଗତ ମେସେଜ୍ ଉଭୟ ପାଇଁ କାମ କରିବ। ଅର୍ଥାତ୍ ଏହା ଗ୍ରୁପ୍ ଚାଟ୍ ହେଉ କିମ୍ବା ଗୁରୁତ୍ୱପୂର୍ଣ୍ଣ ଅଫିସ୍ ମେସେଜ୍ ଏବେ ଆପଣ ପ୍ରତ୍ୟେକ ମେସେଜ୍ ନଖୋଲି ମଧ୍ୟ ସେଥିରେ କଣ ଲେଖା ହୋଇଛି ତାହା ଜାଣିପାରିବେ। AI Summarize ଫିଚର୍ ଆପଣଙ୍କୁ ସେହି ସମସ୍ତ ମେସେଜର ଏକ ଝଲକ ଦେବ ଯାହା ଆପଣ ପଢ଼ି ନଥିବେ । ଯାହାଦ୍ୱାରା ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ହରାଇବେ ନାହିଁ ଏବଂ ଆପଣ ସବୁବେଳେ ଅପଡେଟ୍ ରହିବେ।

ହ୍ୱାଟସଆପ୍ ସବୁବେଳେ ଏହାର ଗୋପନୀୟତା ପ୍ରତି ସତର୍କ ରହି ଆସିଛି  । ଏଥର ମଧ୍ୟ କମ୍ପାନୀ ସ୍ପଷ୍ଟ କରିଛି ଯେ ଉପଭୋକ୍ତାଙ୍କ ବ୍ୟକ୍ତିଗତ ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଏହି ନୂତନ ଏଆଇ ଫିଚର୍ ପ୍ରାଇଭେଟ୍ ପ୍ରୋସେସିଂ ନାମକ ଏକ ପ୍ରଯୁକ୍ତିବିଦ୍ୟା ଉପରେ କାମ କରେ, ଯାହା ନିଶ୍ଚିତ କରେ ଯେ ଆପଣଙ୍କର କଥାବାର୍ତ୍ତା କେବଳ ଆପଣଙ୍କ ପାଇଁ ରହିବ। ହ୍ୱାଟସଆପ୍ କହିଛି ଯେ ଏହି ପ୍ରୋସେସିଙ୍ଗ ଟ୍ରଷ୍ଟେଡ୍ ଏକଜିକ୍ୟୁସନ୍ ଏନଭାରମେଣ୍ଟ୍ (TEE) ନାମକ ଏକ ସୁରକ୍ଷିତ ଭିତ୍ତିଭୂମିରେ ହୋଇଥାଏ  । ଯାହା ଡାଟାକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ସୁରକ୍ଷିତ କରିଥାଏ ।

ଏହି ନୂତନ ଫିଚରର ଆଉ ଏକ ବିଶେଷ କଥା ହେଉଛି ଏହା ଆପଣଙ୍କୁ କେବଳ ମେସେଜଗୁଡ଼ିକର ସାରାଂଶ ଦେବ ନାହିଁ ବରଂ କେଉଁ ମେସେଜଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁଗୁଡ଼ିକୁ ତୁରନ୍ତ ପଢ଼ିବା ଆବଶ୍ୟକ ନାହିଁ ତାହା ମଧ୍ୟ ପରାମର୍ଶ ଦେବ। ଏହା ଦ୍ଵାରା ଆପଣଙ୍କର ସମୟ ସଞ୍ଚୟ ହେବ ଏବଂ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ଆପଣଙ୍କ ପାଖରେ ମଧ୍ୟ ପହଞ୍ଚିବ ।

କହିରଖୁଛୁ ଯେ, ବର୍ତ୍ତମାନ ଏହି ଫିଚର ଆମେରିକାର କିଛି ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ଏବଂ ଏବେ ଏହା କେବଳ ଇଂରାଜୀ ଭାଷାକୁ ହିଁ ସପୋର୍ଟ କରେ। କିନ୍ତୁ କମ୍ପାନୀ ଭବିଷ୍ୟତରେ ଏହାକୁ ଅନ୍ୟ ଭାଷାରେ ଆଣିବାକୁ ଯୋଜନା କରୁଛି, ଯାହା ଦ୍ଵାରା ଅଧିକରୁ ଅଧିକ ଲୋକ ଏହାର ସୁବିଧା ନେଇପାରିବେ। ଯେତେବେଳେ ଏହି ଫିଚର ଆପଣଙ୍କ WhatsAppରେ ଆସିବ, ଆପଣ ଆପଣଙ୍କ ଚାଟ୍ ସେକ୍ସନରେ ଏକ ତାଲିକା କିମ୍ବା ବୁଲେଟ୍ ଫର୍ମରେ ସମସ୍ତ ଅପଠିତ ମେସେଜର ସାରାଂଶ ଦେଖିବେ। ଏହା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସବୁକିଛି ଉପରେ ନଜର ରଖିବା ଆହୁରି ସହଜ ହେବ।