ଦୁଇ ବେପାରୀଙ୍କ ସହ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ

0

ବୈପାରିଗୁଡା/ ଯୋଗେନ୍ଦ୍ର  ପାଟନାୟକ:  ଅବକାରୀ ପୁଲିସକୁ ଚକମା ଦେଇ ଗଞ୍ଜେଇ ଚୋରା ଚାଲାଣ ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଠିକ୍ ସମୟରେ ଅବକାରୀ ବିଭାଗ ଚଢ଼ଉ କରି ଦୁଇ ଗଞ୍ଜେଇ ବେପାରୀଙ୍କ ଘର ପଛପଟୁ ୯୧ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। କୋରାପୁଟ ଜିଲ୍ଲା ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ବୈପାରିଗୁଡା ଥାନା ଅନ୍ତର୍ଗତ ଚିପାକୁର ଗ୍ରାମରୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଯୋଜନା କରାଯାଉଥିବା ନେଇ କୈାଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା। ପରେ ନନ୍ଦପୁର ଅବକାରୀ ଇନ୍ସପେକ୍ଟର ଅନ୍ନପୂର୍ଣ୍ଣା ରଥଙ୍କ ନେତୃତ୍ୱରେ ଏକ ଟିମ ଚିପାକୁର ଗାଁରେ ପହଞ୍ଚି ଖାନତଲାସ କରିଥିଲା। ଦିନ ସାଢ଼େ ଏଗାରଟା ବେଳେ ଚିପାକୁର ଗ୍ରାମରେ ପହଞ୍ଚି ସୋମନାଥ ଗୈାଡଙ୍କ ଘରେ ଚଢ଼ଉ କରାଯିବା ସମୟରେ ସୋମନାଥ ନିଜ ଘର ପଛପଟେ ଚାଲାଣ ପାଇଁ ଗଞ୍ଜେଇ ବସ୍ତା ଗୁଡ଼ିକୁ ଲୁଚାଇ ରଖିଥିଲା। ସେହିପରି ଅପରାହ୍ନ ୨ଟା ବେଳେ ଚିପାକୁର ଗ୍ରାମର ଅନ୍ୟଜଣେ ବ୍ୟକ୍ତି ରବିନ୍ଦ୍ର ଗୈାଡଙ୍କ ଘରେ ଚଢ଼ଉ କରାଯିବା ସମୟରେ ସେ ମଧ୍ୟ ନିଜ ଘର ପଛପଟେ ଗଞ୍ଜେଇ ବସ୍ତା ଗୁଡ଼ିକୁ ଚାଲାଣ ନିମନ୍ତେ ଲୁଚାଇ ରଖିଥିଲା। ସମସ୍ତ ଗଞ୍ଜେଇ ଭର୍ତ୍ତି ବସ୍ତା ଗୁଡ଼ିକୁ ଅବକାରୀ ଥାନାକୁ ଆଣି ଓଜନ କରିବା ପରେ ସୋମନାଥ ଲୁଚାଇ ରଖିଥିବା ଗଞ୍ଜେଇର ଓଜନ ୪୫ କିଲୋ ହୋଇଥିବା ବେଳେ ରବିନ୍ଦ୍ର ଗୈାଡ ୪୬ କିଲୋ ଗଞ୍ଜେଇ ଚାଲାଣ ପାଇଁ ରଖିଥିଲେ। ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ବୈପାରିଗୁଡା ଅବକାରୀ ଓଆଇସି ଭଗବାନ ମହାନନ୍ଦିଆ, ଏଏସ୍ଆଇ ହଳଧର ଜାନି, କନେଷ୍ଟବଳ ରଘୁନାଥ ସାଉନ୍ତା, ହୀରାମଣି ଭଦ୍ରା ପ୍ରମୁଖ ଉପସ୍ଥିତ ଥିଲେ।