ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ
ପୁରୀ : ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପଡ଼ି ଅସୁସ୍ଥ ମହାପ୍ରଭୁ। ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ଦ୍ଵାରା ପାରମ୍ପରିକ ପଦ୍ଧତିରେ ଚିକିତ୍ସିତ ହେଉଛନ୍ତି ମହାପ୍ରଭୁ। ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଅଣସରକାଳୀନ ଗୁପ୍ତନୀତି ସଂପାଦନ କରୁଛନ୍ତି। ଏକବସ୍ତ୍ର ହୋଇ ଅଣସର ବାସ ଠାରୁ ଦୈନିନ୍ଦିନ ଚକଟା ଭୋଇ ଓ ଅନ୍ୟାନ୍ୟ ନୀତି ସଂପାଦନ କରୁଛନ୍ତି। ପରମ୍ପରା ଅନୁଯାୟୀ, ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି ହୋଇଥିଲା। ଷଷ୍ଠୀରୁ ନବମୀ ଯାଏ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥିଲା। ଦଶମୀ ତିଥିରେ ଅସୁସ୍ଥ ଥିବା ଶ୍ରୀବିଗ୍ରହ ସାମାନ୍ୟ ସୁସ୍ଥ ଅନୁଭବ କରିଥିବାରୁ ଚକାବିକେ ନୀତି ଅନୁଷ୍ଠିତ ହେବ।
ଦଇତାପତି ସେବକମାନେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କୁ ଅଣସର ପିଣ୍ଡିରୁ ଚକାକୁ ବିଜେ କରାଇବେ। ସେହିପରି ଦଶମୀ ତିଥି ଅବସରରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଶ୍ରୀବିଗ୍ରହଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ପଠାଯିବ। ଉକ୍ତ ଦଶମୂଳ ଏକାଦଶୀ ତିଥିରେ ମହାପ୍ରଭୁ ଲାଗିହେବେ। ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନେ ଏହି ଦଶମୂଳ ଲାଗି ହେଲେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୁଅନ୍ତି ବୋଲି ବିଶ୍ୱାସ ରହିଛି।
ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ। ଏହା ଏକାଦଶୀ ଦିନ ଶ୍ରୀଜୀଉଙ୍କ ପାଖେ ସମର୍ପଣ ହୋଇଥାଏ। ଶ୍ରୀମନ୍ଦିରର ରାଜବୈଦ୍ୟ ସେବକ ମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି। ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ ଶାଳପନ୍ନି, ଗମ୍ଭାରୀ, ଫଣଫଣା, କୃଷ୍ଣ ପନ୍ନି, ଅଗବଥୁ, ବେଲ, ଅଙ୍କରାନ୍ତି, ଗୋଖରା, ଲବିଂ କୋଳି, ନବାଙ୍କୁରୀକୁ ପ୍ରଥମେ ଶୁଖା ଯାଇଥାଏ। ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ। ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ, ଶର୍କରା, ସର, ମହୁ, ଘିଅ, ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ। ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ। ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖା ଯାଇଥାଏ। ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ।