ଭୁବନେଶ୍ୱର: ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ “କରପ୍ସନ୍ କ୍ଲବ” ଚାଲିଥିଲା ନବୀନ ବାବୁ ଯଦି ସ୍ୱଚ୍ଛ ଥିଲେ ତାହାଲେ ଏତେ କୋଟିପତି ଦୁର୍ନୀତିଗ୍ରସ୍ତ ଅଫିସରମାନେ ଆସିଲେ କୁଆଡୁ? “ଜନଜାଗରଣ” ଯାତ୍ରା କରିବ ବୋଲି ଘୋଷଣା କରିଥିବା ବିଜେଡି ନିଜର ଗେହ୍ଲାପୁଅ ଦୁର୍ନୀତିଖୋରଙ୍କ ବିଷୟରେ ସ୍ପଷ୍ଟୀକରଣ ଦେଉ।
ବିଜୁ ଜନତା ଦଳ ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା, ସରକାରୀ ଅର୍ଥକୁ ବେଧଡକ୍ ଲୁଟ୍ କରି ସରକାରୀ ଅଧିକାରୀମାନେ କଳାଟଙ୍କାର ପାହାଡ ତିଆରି କରିଥିଲେ ଏହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ ଆସୁଛି । ଆଗରୁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଭିଜିଲାନ୍ସ କେବଳ ଛୋଟ କେରାଣ୍ଡି ଓ ଗଡିଶା ମାଛକୁ ଧରୁଥିଲା । କିରାଣୀ ଓ ପିଅନଙ୍କ ଦୁର୍ନୀତିକୁ ଧରପଗଡ କରି ନବୀନ ବାବୁ ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିଲେ । ଏବେ ମାନ୍ୟବର ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ହୋଇଥିବା ବିଜେପି ସରକାର ବିଜେଡିର ଦୁର୍ନୀତିଖୋର ଗେହ୍ଳାପୁଅମାନଙ୍କୁ ଜେଲ୍ର ରାସ୍ତା ଦେଖାଉଛି । କେବଳ କିରାଣୀ, ପିଅନ ନୁହେଁ ବରଂ ବିଭିନ୍ନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉଚ୍ଚପଦସ୍ଥ ଅଫିସରମାନଙ୍କ ଉପରେ ଏବେ ଭିଜିଲାନ୍ସ ଚଢ଼ାଉ କରି ସେମାନଙ୍କ କଳାକାରନାମା ଉପରୁ ପରଦା କାଢ଼ୁଛି । ଭିଜିଲାନ୍ସ ଏମିତି ଅନେକ ଅଫିସରଙ୍କୁ ଧରିଛି ଯାହାଙ୍କର ଜାଗା, ବାଡି ଓ କୋଠା ଗଣିଲେ ମଧ୍ୟ ସରୁନାହିଁ । କାହାର ୧୦୦ରୁ ଅଧିକ ତ ଆଉ କାହାର ରାଜ୍ୟ ବାହାରେ ମଧ୍ୟ ସମ୍ପତି । ସମସ୍ତଙ୍କ ଘରେ ପୁଳା ପୁଳା ସୁନା । ନିଜ ନାଁରେ ଯେତିକି ଗାଡି ଅଛି ବେନାମୀ ଗାଡି ସଂଖ୍ୟା ତା’ଠାରୁ ଅଧିକ । ବ୍ୟାଙ୍କ ଲକ୍ର, ବୀମା, ଜମାରେ ଅମାପ ସମ୍ପତି ଠାବ ହୋଇଛି । ଏହି ସମସ୍ତ ଦୁର୍ନୀତିଖୋର ଅଧିକାରୀମାନେ ବିଜୁ ଜନତା ଦଳର ୨୪ବର୍ଷର ସରକାର ସମୟରେ ଦୁର୍ନୀତି କରିବାର ସୀମା ଲଘିଂଥିଲେ । ବିଜେପି ସରକାର ଓଡ଼ିଶାରେ ସରକାରୀ ଅର୍ଥ ଲୁଟିଥିବା କୌଣସି ମାଫିଆଙ୍କୁ ଛାଡିବ ନାହିଁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।