ଭୁବନେଶ୍ୱର: ରାଜ୍ୟରେ ପାରଦ ବଢିବା ସହିତ ତାତି ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଅସହ୍ୟ ଗରମରେ କଲବଲ ହେଉଛନ୍ତି ରାଜ୍ୟବାସି । ସକାଳ ସାଢ଼େ ୮ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ୱର । ସେଠାରେ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ପୁରୀରରେ ୩୨.୨, ଭୁବନେଶ୍ୱରରେ ୩୧.୬, ଝାରସୁଗୁଡ଼ାରେ ୩୧, ଚାନ୍ଦବାଲିରେ ୩୦.୮ ଓ କେନ୍ଦୁଝରରେ ପାରଦ ରହିଛି ୩୦.୪ ଡିଗ୍ରୀ ସେଲସିୟସ୍। ସେହିପରି ପାରାଦୀପରେ ୨୯.୮, ସମ୍ବଲପୁରରେ ୨୯.୨ ଓ ଗୋପାଳପୁରରେ ୨୮.୬ ଡିଗ୍ରୀ ସେଲସିୟସ୍ ରହିଛି ତାପମାତ୍ରା । ତେବେ ୧୫ ତାରିଖ ଯାଏ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଆଜି ୪ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ଏହି ୪ ଜିଲ୍ଲା ପାଇଁ ହିଟ୍ ୱେଭ୍ ଜନିତ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ଅଧିକ ରହିବ। ଏହି ସ୍ଥିତି ଆସନ୍ତା ୪ ଦିନ ପର୍ୟ୍ୟନ୍ତ ଲାଗି ରହିବ। ଏହା ପରେ ଅର୍ଥାତ ୧୬ ତାରିଖରୁ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।