(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସରେ ଫାଟ ଦେଖାଦେଇଛି । ଆଜି ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା ତଥା କଶ୍ମୀରର ପୂର୍ବତନ ଯୁବରାଜ ଡଃ କରନ ସିଂ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଆଖି ବୁଜି ବିରୋଧ କରାଯିବା ଉଚିତ ନୁହେଁ । କାରଣ ଏଥିରେ ଅନେକ ସକାରାତ୍ମକ ଦିଗ ରହିଛି ବୋଲି କରନ କହିଛନ୍ତି।
ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା ଦେବାକୁ ସମର୍ଥନ କରିବା ସହ ଧାରା ୩୫-କ ଉଚ୍ଛେଦକୁ ସେ ସ୍ୱାଗତ କରିଛନ୍ତି । ଧାରା ୩୫ କରେ ମହିଳାମାନଙ୍କ ପ୍ରତି ଅବିଚାର କରାଯାଉଥିଲା ବୋଲି ସେ କହିଛନ୍ତି । ଜାମ୍ମୁ ଓ କଶ୍ମୀରରେ ଏବେ ପୁଣି ଥରେ ସୀମା ନିର୍ଦ୍ଧାରଣ ହେବ, ଏହା ଦ୍ୱାରା ଗଣତାନ୍ତ୍ରିତ କ୍ଷମତାର ସଠିକ ଆବଣ୍ଟନ ହୋଇପାରିବ ବୋଲି ସେ କହିଛନ୍ତି । କିନ୍ତୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ (ପିଡିପି ଓ ନ୍ୟାସନାଲ କନଫରେନ୍ସ)ର ନେତାମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିଛନ୍ତି । ସେମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରିବାକୁ ସେ ମତବ୍ୟକ୍ତ କରିଛନ୍ତି ।