ଆଜି ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ

0

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ୩୨ତମ ମ୍ୟାଚ୍ ଆଜି ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଲଗାତାର ୪ ବିଜୟ ପରେ ଦିଲ୍ଲୀ ନିଜର ଘରୋଇ ମାଟିରେ ଗତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରଥମ ପରାଜୟ ଭୋଗିଛି । ଅନ୍ୟପଟେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ଦଳ ୬ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ଲାଭ କରିଛି । ଆଜିର ମ୍ୟାଚ୍ ଜିତିବା ରାଜସ୍ଥାନ ପାଇଁ ବହୁ ଜରୁରୀ ।

ଦିଲ୍ଲୀ କ୍ୟାପିଟାଲ୍ସ ୫ଟି ମ୍ୟାଚରୁ ୪ଟି ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଯଦି ଦଳ ଆଜିର ମ୍ୟାଚ୍ ଜିତେ ତେବେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବ । ଅନ୍ୟପଟେ ରାଜସ୍ଥାନ ଜିତିଲେ ଦଳ ସପ୍ତମକୁ ଉଠିବ, ଯିଏ ଏବେ ଅଷ୍ଟମ ସ୍ଥାନରେ ରହିଛି ।

ଆଇପିଏଲରେ ଦିଲ୍ଲୀ ଓ ରାଜସ୍ଥାନ ପରସ୍ପର ମଧ୍ୟରେ ୨୯ଟି ମ୍ୟାଚ୍ ଖେଳିଛନ୍ତି । ଏଥିରୁ ଦିଲ୍ଲୀ ୧୪ଟି ଏବଂ ରାଜସ୍ଥାନ ୧୫ଟି ମ୍ୟାଚ୍ ଜିତିଛି । ଅର୍ଥାତ ଦୁଇ ଦଳ ବରାବର ସ୍ଥିତିରେ ରହିଛନ୍ତି । ତେଣୁ ଆଜିର ମ୍ୟାଚରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିପାରେ । ରାଜସ୍ଥାନ ବିପକ୍ଷରେ ଦିଲ୍ଲୀ ସର୍ବାଧିକ ୨୨୧ ରନ ସ୍କୋର କରିଛି । ସେହିପରି ଦିଲ୍ଲୀ ବିପକ୍ଷରେ ରାଜସ୍ଥାନର ସର୍ବୋଚ୍ଚ ସ୍କୋର ହେଉଛି ୨୨୨ ।