ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର : ବିଶିଷ୍ଟ ମୃର୍ତ୍ତିକା ଶିଳ୍ପୀ ଦିଲ୍ଲୀପ ରଣାଙ୍କ ପରଲୋକ । ସୁବର୍ଣ୍ଣପୁର କୁମ୍ଭାରପଡା ନିବାସୀ ବିଶିଷ୍ଟ ମୃର୍ତ୍ତିକା ଶିଳ୍ପୀ ଦିଲ୍ଲୀପ ରଣାଙ୍କ ୪୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତେବେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଅନ୍ତର୍ଜାତୀୟ ମୂର୍ତ୍ତିକା ଶିଳ୍ପୀ ଲୋକନାଥ ରଣାଙ୍କ ଦିଲ୍ଲୀପ କନିଷ୍ଠ ପୁତ୍ର ଥିଲେ । ବାପା ଯେଉଁଭଳି ଭାବେ ଡେନମାର୍କ, ସ୍ବିଡେନ ଆଦି ଦେଶରେ ତାଙ୍କର ମୂର୍ତ୍ତିକା କଳାର ଯାଦୁ ଦେଖାଇ ଥିଲେ । ପୁଅ ଦିଲ୍ଲୀପ ବାପାଙ୍କ ପଦାଙ୍କ ଅନୁସରଣ କରି ମୃର୍ତ୍ତିକା କଳାରେ କିଛି ନୂଆ କରିବା ସର୍ବଦା ଚେଷ୍ଟା କରୁଥିଲେ । ବହୁ ଜାତୀୟ ତଥା ରାଜ୍ୟର ଅନେକ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀପ ସମ୍ବର୍ଦ୍ଧିତ ହୋଇଛନ୍ତି । ମହାରାଷ୍ଟ୍ରର ଭଦ୍ରାବତୀର ଜାତୀୟ ଅନୁଷ୍ଠାନରେ ସିରାମିକ୍ କଳାରେ ସେ ତାଲିମପ୍ରାପ୍ତ ମୂର୍ତ୍ତିକା ଶିଳ୍ପୀ ଥିଲେ । ମହୀଶୂରଠାରେ ଅନୁଷ୍ଠିତ ଏକ ଜାତୀୟ ସେମିନାରରେ ଯୋଗଦେଇ ବଡଭାଇ ଅନନ୍ତଙ୍କ ସହ ଦିଲ୍ଲୀପ ବୁଧବାର ରାତି ୯ଟାରେ ଜନ୍ମମାଟି ସୋନପୁରକୁ ଫେରିଥିଲେ । ତେବେ ହୃଦଘାତ ହେବା ଯୋଗୁଁ ଦିଲ୍ଲୀପଙ୍କୁ ତାଙ୍କ ସହଯୋଗୀ ମାନେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ତାଙ୍କର ପରଲୋକ ହୋଇଯାଇଥିଲା । ଦିଲ୍ଲୀପଙ୍କ ବିୟୋଗରେ ସୁବର୍ଣ୍ଣପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଏକ ୮ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ଥିବାରୁ ସରକାରଙ୍କ ତରଫରୁ ଦିଲ୍ଲୀପଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା କଳାକାର ସଂଘ ପକ୍ଷରୁ ଦାବି କରାଯାଇଛି ।