ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ୨ଜଣ ଯୁବକଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତି ତର୍କ ପରେ ଗର୍ଜିଛି ବନ୍ଧୁକ । ଜଣେ ଅଭିଯୁକ୍ତ ଯୁବକ ଅନ୍ୟଜଣେ ଯୁବକଙ୍କୁ ଗୁଳି କରିଥିଲା । ଏହି ଗୁଳିରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ହେଲେ ବନ୍ତଳା ଗ୍ରାମର ଅଖିଳ ବେହେରା (୩୩)। ଆହତ ଅଖିଳଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ସୂଚନାଥାଉ କି, ବନ୍ତଳା ଗାଁର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ କୌଣସି କାରଣ ନେଇ ଶତ୍ରୁତା ଲାଗି ରହିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ଶିଶିର ଏକ ବନ୍ଧୁକରେ ଅଖିଳଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଗୁଳିଟି ଅଖିଳଙ୍କ ବାମ ହାତ କହୁଣିରେ ପଶିଥିଲା । ଏହାପରେ ଗାଁ ଲୋକ ଅଖିଳକୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅଖିଳଙ୍କ ଦେହରୁ ଅଧିକ ରକ୍ତ ଯାଇଥିବାରୁ ସେ ଏବେ ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି ।