ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଜାରି ତାଲିବାନୀ ଦମନ ଲୀଳାକୁ ଦୃଷ୍ଟିରେ ରଖି ଭାରତ ତାର ନାଗରିକଙ୍କୁ ଆଫଗାନ ଛାଡିବାକୁ ଅପିଲ କରିଛି । ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ମଜାର ଏ ସରିଫରୁ ଦିଲ୍ଲୀ ଯାତ୍ରା କରିବାକୁ କୁହାଯାଇଛି । ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ବିମାନ ମଜାର ଏ ସରିଫରୁ ନୂଆଦିଲ୍ଲୀ ଉଡିବ । ଆଜି ବିଳମ୍ବିତ ସଂଧ୍ୟାରେ ଏହି ବିମାନ ଉଡାଣ ଭରିବାକୁ ଯାଉଥିବାରୁ ମଜାର ଏ ସରିଫ ଓ ତାର ଆଖପାଖରେ ରହୁଥିବା ଭାରତୀୟଙ୍କୁ ଭାରତ ଅଭିମୁଖେ ଯାତ୍ରା କରିବାକୁ ମଜାର ଏ ସରିଫରେ ଅବସ୍ଥିତ ଭାରତୀୟ ରାଜଦୂତ କହିଛନ୍ତି ।
ଆଫଗାନିସ୍ତାନର ଉତ୍ତରାଞ୍ଚଳକୁ ତାଲିବାନ ଆତଙ୍କୀ ନିଜ କବଜାକୁ ନେବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପକ୍ଷରୁ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଆଫଗାନିସ୍ତାନ ଛାଡିବାକୁ ଇଛାୟୀ ଭାରତୀୟଙ୍କୁ ୦୭୮୫୮୯୧୩୦୩, ୦୭୮୫୮୯୧୩୦୧ ହ୍ୱାଟ୍ସଆପ ନମ୍ବରରେ ସେମାନଙ୍କ ନାମ, ପାସପୋର୍ଟ ନମ୍ବର, ଡେଟ ଅଫ ଏକ୍ସପାରୀ ଆଦିର ସବିଶେଷ ବିବରଣୀ ପ୍ରଦାନ କରିବାକୁ କୁହାଯାଇଛି ।