ପୋର୍ଟୋ: ପର୍ତ୍ତୁଗାଲରେ ଫାଇଜର ଟୀକାରେ ଜଣେ ୪୧ ବର୍ଷୀୟା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେବା ପରେ ଏହି ଟୀକା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଟୀକା ନେବାର ଦୁଇ ଦିନ ପରେ ସୋନିୟା ଏକେବେଡୋ ନାମକ ସ୍ୱାସ୍ଥ୍ୟକର୍ମୀ ପ୍ରାଣ ହରାଇଛନ୍ତି । ୩୦ ଡିସେମ୍ବରକୁ ସୋନିୟା ଫାଇଜର ଟୀକା ନେଇଥିବା ବେଳେ ୪୮ ଘଣ୍ଟା ପରେ ଜାନୁଆରୀ ୧ ତାରିଖରେ ସୋନିଆଙ୍କ ମୃତ୍ୟୁ ହୋଇଛି ।
ସୋନିଆ ପର୍ତ୍ତୁଗାଲର ପୋର୍ଟୋ ସହରରେ ରହୁଥିଲେ । ତାଙ୍କର ଦୁଇ ସନ୍ତାନ ଅଛନ୍ତି । ଟୀକା ନେବା ପରେ ସେ ଅବଜର୍ଭେସନରେ ରହିଥିଲେ ଓ ତାଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନଥିଲା । ସୋନିଆଙ୍କ ବାପା ଆବିଲୋଓ ଏକେବେଡୋ କହିଛନ୍ତି ଯେ, ସୋନିଆ ସମ୍ପୂର୍ଣ୍ଣ ଭଲ ଥିଲେ । କରୋନାର ଲକ୍ଷଣ ତାଙ୍କଠାରେ ନଥିଲା । କୌଣସି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ନଥିଲା । ତଥାପି ତାଙ୍କର ମୃତ୍ୟୁକୁ ନେଇ ଏବେ ସୋନିଆଙ୍କ ବାପା ସ୍ଥାନୀୟ ପ୍ରଶାସନଠୁ ଜବାବ ମାଗିଛନ୍ତି ।
ଅପରପକ୍ଷରେ ପର୍ତ୍ତୁଗାଲ ହସ୍ପିଟାଲ କହିଛି, ଡିସେମ୍ବର ୩୦ ତାରିଖରେ ସୋନିଆଙ୍କୁ ଟୀକା ଦିଆଯାଇଥିଲା । ଏହାପରେ ତାଙ୍କଠାରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ସେ ଭାକସିନ୍ ଲଗାଉଥିବାର ଫଟୋ ଫେସବୁକରେ ପୋଷ୍ଟ କରିଥିଲେ । କିନ୍ତୁ ନୂଆବର୍ଷ ସକାଳ ୧୧ଟାରେ ହିଁ ସୋନିଆଙ୍କ ମୃତ୍ୟୁ ହୋଇଥିଲା । ପର୍ତ୍ତୁଗାଲରେ ସୋନିଆଙ୍କ ସହ ୫୩୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଫାଇଜର ଟୀକା ଦିଆଯାଇଥିଲା । ସୋନିଆଙ୍କ ବ୍ୟତୀତ ଅନ୍ୟମାନେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଉଛି ।