(ଅନୁସ୍ୱୟା)ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ବେଳେ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚା ରୁହନ୍ତି । ଏବେ କିନ୍ତୁ ମୋଦୀଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ଦେଖିବାକୁ ମିଳିବ। ଡିସ୍କଭରି ଚ୍ୟାନେଲ୍ର ଲୋକପ୍ରିୟ ସୋ ”ମ୍ୟାନ ଭର୍ସେସ୍ ଓ୍ୱାଇଲ୍ଡ’ରେ ଶୋ ର ଉପସ୍ଥାପକ ବେୟର ଗ୍ରିଲ୍ସଙ୍କ ସହ ମୋଦୀଙ୍କୁ ଦେଖିବାକୁ ମିଳିବ । ସେ ଜୈବ ବିବିଧତା ଓ ପ୍ରକୃତିର ସଂରକ୍ଷଣ ବିଷୟରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିବ ।
ଆସନ୍ତା ଅଗଷ୍ଟ ୧୨ ତାରିଖ ରାତି ୯ଟାରେ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ରେ ଦର୍ଶକମାନେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖି ପାରିବେ । ବିଶ୍ୱ ବ୍ୟାଘ୍ର ଦିବସ ଅବସରରରେ ”ମ୍ୟାନ ଭର୍ସେସ୍ ଓ୍ୱାଇଲ୍ଡ’ ଶୋ ର ଉପସ୍ଥାପକ ବେୟର ଗ୍ରିଲ୍ସ ନିଜ ଟ୍ୱିଟର ଆକାଉଣ୍ଟରେ ମୋଦୀଙ୍କ ସହ ଉତ୍ତୋଳନ କରାଯାଇଥିବା ଏକ ଭିଡିଓକୁ ପୋଷ୍ଟ କରିଛନ୍ତି । ସେ ଏଥିରେ ୧୮୦ ଦେଶର ଲୋକ ମୋଦୀଙ୍କୁ ଏକ ନିଆରା ରୂପରେ ଦେଖିବାକୁ ପାଇବେ ବୋଲି ଉଲ୍ଲେଖ କରିଛନ୍ତି । ୪୫ ସେକେଣ୍ଡର ଏହି ପ୍ରମୋରେ ମୋଦୀଙ୍କର ଉପସ୍ଥାପନ ଦେଖିବା ଭଳି ହୋଇଛି । କ୍ରୀଡା ପୋଷାକରେ ସେ ଏକ ଛୋଟ ନୌକାରେ ଯାତ୍ରା କରୁଥିବା ଦେଖିବାକୁ ମିଳିବ ।
ଏହି ଶୋରେ ପ୍ରଧାନମନ୍ତ୍ରୀ ଓ ହୋଷ୍ଟ ଗ୍ରିଲ୍ସଙ୍କ ସହିତ ପ୍ରାକୃତିକ ବିବିଧତା ଓ ପ୍ରକୃତି ସଂରକ୍ଷଣର ଉପାୟ ଉପରେ ସବିଶେଷ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଦିନ ଧରି ବଣ ପାହଡ ଓ ପ୍ରକୃତି ମଧ୍ୟରେ ରହିଥିବା କଥା ଏହି ଏପିସୋଡ୍ରେ ପ୍ରକାଶ କରିଛନ୍ତି । ତାହାର ଅନେକ ପ୍ରଭାବ ତାଙ୍କ ଜୀବନ ଉପରେ ପଡିଛି । ଏଥିପାଇଁ ସେ ରାଜନୀତି ବାହାରେ ଏହି ସ୍ୱତନ୍ତ୍ର ଏପିସୋଡ୍ରେ ପ୍ରକୃତି ମଧ୍ୟରେ ଅଂଶ ଗ୍ରହଣ କରିବାପାଇଁ ଇଚ୍ଛୁକ ଥିଲେ ।