(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ଜାମ୍ମୁ ଓ କାଶ୍ମୀର ପ୍ରମୁଖ ରାଜନୈତିକ ଦଳମାନଙ୍କ ପ୍ରତିନିଧିମାନେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଭେଟିଛନ୍ତି । ଜାମ୍ମୁ ଓ କାଶ୍ମୀରରେ ବ୍ୟାପକ ସୁରକ୍ଷା ବଳ ମୁତୟନ ପ୍ରସଙ୍ଗରେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଉମର ଓବଦୁଲ୍ଲାଙ୍କ ନେତୃତ୍ୱରେ ଏହି ସାକ୍ଷାତକାର ହୋଇଛି । ବ୍ୟାପକ ସୁରକ୍ଷାବଳ ମୁତୟନ ପରେ ଘାଟିରେ ଲୋକମାନେ ଭୟଭୀତ ହୋଇପଡିଥିବା ରାଜ୍ୟପାଳଙ୍କୁ ଜଣାଇବା ସହ ସ୍ଥିତିରେ ସରକାର ଶୀଘ୍ର ସୁଧାର ଆଣିବାକୁ ଦାବି ହୋଇଛି ।
ଆତଙ୍କବାଦୀ ଅମରନାଥ ଯାତ୍ରୀଙ୍କ ଉପରକୁ ଆକ୍ରମଣ ଯୋଜନା କରୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି । ନିୟନ୍ତ୍ରଣ ରେଖା ନିକଟରେ ମଧ୍ୟ ପାକିସ୍ତାନ ପକ୍ଷରୁ ଗୁଳିବାରି ଜାରି ରହିଛି । ତେବେ ରାଜ୍ୟର ସାମ୍ବିଧାନିକ ସ୍ଥିତି ପରିବର୍ତ୍ତନ କରିବାର କୌଣସି ସୂଚନା ମିଳିନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଉମର ଅବଦୁଲ୍ଲା କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ରାଜ୍ୟପାଳ ନୁହେଁ, ବରଂ ଭାରତ ସରକାରଙ୍କ ଆଶ୍ୱାସନା ଆବଶ୍ୟକ । ରାଜ୍ୟରେ ଗୁଜବ ବ୍ୟାପୀବା କାରଣରୁ ଲୋକମାନେ ଭୟଭୀତ ଅଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାରେ ଲାଗିଛନ୍ତି, ତେଣୁ ବଜାର ସ୍ଥିତି ମଧ୍ୟ ସଙ୍ଗୀନ ।ତେଣୁ ସଂସଦରେ କେନ୍ଦ୍ର ସରକାର ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ।