ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁରର ପ୍ରସିଦ୍ଧ ପାହାଡ଼ ଶିଖରେ ଥିବା ରାମମନ୍ଦିର ଠାରେ ରାମନବମୀ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ମନ୍ଦିରରେ ଦୀର୍ଘ ଦିନ ଧରି ପୂଜାର୍ଚ୍ଚନା କରାଯାଉଥିବା ବେଳେ ଚଳିତ ବର୍ଷ ଠାରୁ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରାତଃ କାଳରେ ମନ୍ଦିରରେ ରାମନବମୀ ଅବସରରେ ବିଭିନ୍ନ ପୂଜା କରାଯାଇଥିଲା। ଆଖପାଖ ଅଞ୍ଚଳର ଗ୍ରାମବାସୀ ଏବଂ ଦାତାଙ୍କ ସହାୟତାରେ ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ରାମନବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅଞ୍ଚଳର ଏକମାତ୍ର ରାମମନ୍ଦିର ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ଉତ୍ସବକୁ ପୂର୍ବତନ ଚିଲିକା ବିଧାୟକ ଶ୍ରୀଯୁକ୍ତ ରଘୁନାଥ ସାହୁ ଓ ବାଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଶ୍ରୀରାମଙ୍କ ଦର୍ଶନ କରିବା ସହିତ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ଦର୍ଶକଙ୍କ ମନୋରଞ୍ଜନ ନିମିତ୍ତ ନୟାଗଡ଼ ଜିଲ୍ଲାର ରଣପୁର ବ୍ରଜମୋହନ ମାଝୀଙ୍କ ନେତୃତ୍ବରେ ପ୍ରସିଦ୍ଧ ରାମନାଟକ ପରିବେଷଣ କରାଯାଇଥିଲା। ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି ମଦନମୋହନ ସୁବୁଦ୍ଧି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।