ପୁରୀ: ଆସନ୍ତାକାଲି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥି । ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତଃ ଅପରାହ୍ନ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିପହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ।
ପରାମ୍ପରା ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଦତ୍ତ ମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଭିତରେ ପ୍ରବେଶ କରିବେ । ରତ୍ନ ସିଂହାସନ ଉପରକୁ ଯାଇ ସେମାନେ ପ୍ରଭୁ ଶ୍ରୀବଳଭଦ୍ର , ଶ୍ରୀ ଜଗନ୍ନାଥ , ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ , ବେଶ, ସନ୍ଧ୍ୟା ଆଳତି , ସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡସିଂହାର ବେଶ , ବଡସିଂହାର ଭୋ ଏବଂ ରାତ୍ର ପହୁଡ କରାଯିବ । ବନକଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ।