ଓଡ଼ିଶାକୁ ୪ହଜାର କୋଟିର ଭେଟି : ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି

0

ଭୁବନେଶ୍ବର-: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିଛନ୍ତି । ଯାହାଫଳରେ ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ପ୍ରକଳ୍ପଗୁଡ଼ିକ ଭେଟି ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୧୯ଟି ରାସ୍ତାରେ ୪୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟରେ ୧୫୪ଟି ରାଜରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ହେବ। ଆଗାମୀ ଦୁଇ ବର୍ଷରେ ଓଡିଶାର ସଡ଼କ ପରିବହନ ବ୍ୟବସ୍ଥା ଆମେରିକା ଠାରୁ ଭଲ ହେବ । ପ୍ରତିଟି ଗାଁ କୁ ଯିବା ପାଇଁ ରାସ୍ତା ମିଳିବ ।

୯୭୩ କୋଟି ଟଙ୍କା ବ୍ୟୟରେ ବଅଁରପାଳ-ଗୋଡିବନ୍ଧ ୪ ଲେନ୍ ନିର୍ମାଣ, ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡ଼ି ଘାଟି ଅଂଶକୁ ୭୧୮ କୋଟି ଟଙ୍କାରେ ପ୍ରଶସ୍ତୀକରଣ, ମଙ୍ଗଳପୁରରୁ କୟାଁଙ୍ଗୋଲା ପର୍ଯ୍ୟନ୍ତ ୧୦ ନମ୍ବର ଜାତୀୟ ରାଜପଥକୁ ୩୭୪ କୋଟି ଟଙ୍କାରେ ପ୍ରଶସ୍ତୀକରଣ ଓ ଜରିମୁଳିକୁ ସଂଯୋଗ କରୁଥିବା ପୂଜାରୀପାଲ୍ଲୀ ଘାଟିରେ ମହାନଦୀ ଉପରେ ୨୭୩.୯୪ କୋଟି ଟଙ୍କାରେ ପୋଲ ନିର୍ମାଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ଭିତ୍ତିଭୂମିର ବିକାଶ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସଡ଼କ ନିର୍ମାଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ୨୦୧୪ରେ ସେତେବେଳର ସରକାର ଦିନକୁ ମାତ୍ର ୧୪ କିମି ରାସ୍ତା ନିର୍ମାଣ କରୁଥିବାବେଳେ ବର୍ତ୍ତମାନ ସରକାର ଦିନକୁ ୧୦୦ କିମି ରାସ୍ତା ନିର୍ମାଣ କରୁଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ୪ଟି ନୂତନ ପ୍ରସ୍ତାବ ଦେଇଛନ୍ତି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ୬ ଥାକିଆ ହେବାକୁ ପ୍ରସ୍ତାବିତ ଥିବାବେଳେ ମୁଖ୍ୟମନ୍ତ୍ରୀ ୮ ଥାକିଆ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି କୋଷ୍ଟାଲ୍ ଲେନ୍ ବା ଉପକୂଳ ରାସ୍ତାକୁ ୨ ଥାକିଆରୁ ୪ ଥାକିଆ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ଏହି ସମସ୍ତ ରାସ୍ତା ନିର୍ମାଣ ହେଲେ ଯାତାୟାତ ସହିତ ଆର୍ଥିକ ବିକାଶ ହେବ ଓ ଲୋକଙ୍କୁ ଲାଭ ପହଁଚାଇବ ।