ରାୟଗଡା: ରାୟଗଡ଼ା ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା । ମାଲବାହୀ ଟ୍ରେନ ଉପରେ ଜଣେ ବୃଦ୍ଧ ହଠାତ୍ ଚଢିଯାଇଥିଲେ । ଟ୍ରେନ ଉପରେ ଠିଆ ହୋଇ ହାତ ଉପରକୁ ଉଠାଇବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ । କ୍ୟାମେରାରେ କଏଦ ହୋଇଛି ସେହି ଭୟଙ୍କର ଚିତ୍ର ।
ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଉଛନ୍ତି ନୂଆପଡ଼ା ଜିଲ୍ଲା ରାଜଖାରିଆର ଥାନା ଅନ୍ତର୍ଗତ ବଡ଼ନାଳ ଗାଁର ୫୫ ବର୍ଷୀୟ ନରସିଂହ କାଣ୍ଡା। ସେ ସିକନ୍ଦରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ମଙ୍ଗଳବାର ଫେରିବାବେଳେ ରାୟଗଡ଼ା ଷ୍ଟେସନରେ ଛିଡ଼ା ହୋଇଥିବା ଏକ ଓ୍ବାଗନ ଉପରକୁ ଚଢ଼ିଯାଇଥିଲେ। ଆଉ ଓ୍ବାଗନ ଉପରେ ଚଢ଼ିଥିବାବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଜିଅନ୍ତା ଜଳିଯାଇଥିଲେ ନରସିଂହ। ଅବଶ୍ୟ ଗୁରୁତର ଅବସ୍ଥାରେ ଆରପିଏଫ ତାଙ୍କୁ ରାୟଗଡା ଡାକ୍ତରଖାନରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ନରସିଂହଙ୍କ ମୃତ୍ୟୁ ହୋଇଛି। ତେବେ ନରସିଂହ କେଉଁ କାରଣରୁ ଟ୍ରେନ ଉପରେ ଚଢ଼ିଥିଲେ ତାହା ଜଣାପଡ଼ିନାହିଁ।