କନ୍ଧମାଳ ଲୋକସଭା ନିର୍ବାଚନ: ତିନି ପ୍ରମୁଖ ଦଳ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: କନ୍ଧମାଳ ରାଜ୍ୟର ଗୋଟିଏ ଗରିବ ଜିଲ୍ଲା । ଏଠାରେ ଆଜି ମଧ୍ୟ ଲୋକେ ମୌଳିକ ସୁବିଧା ସୁଯୋଗରୁ ବଞ୍ôଚତ ରହିଛନ୍ତି । ନିର୍ବାଚନ ଆସିଲେ ପ୍ରାର୍ଥୀ ଏଠାର ଲୋକଙ୍କୁ ନାନା ପ୍ରଲୋଭନ ଦେଖାଇ ନିଜ ତରଫକୁ କରିଥାନ୍ତି କିନ୍ତୁ ନିର୍ବାଚନ ପରେ ଏମାନଙ୍କ ସ୍ଥିତି ଯଥା ପୂର୍ବଂ, ତଥା ପରଂ । ଚଳିତ ନିର୍ବାଚନରେ ଏହି ଲୋକସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଏହି ଆସନ ପାଇଁ ସବୁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକ ଘୋଷଣା ହେବା ସହ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ବିଜେଡି ଅଚ୍ୟୁତ ସାମନ୍ତଙ୍କୁ ଠିଆ କରିଥିବା ବେଳେ ବିଜେପି ଖାରବେଳ ସ୍ୱାଇଁଙ୍କୁ, କଂଗ୍ରେସ ମନୋଜ ଆଚାର୍ଯ୍ୟ, ବିଏସପିରୁ ଅମିର ନାୟକ, ସିପିଆଇ(ଏମଲ) ଟୁନା ମଲ୍ଲିକଙ୍କୁ ଠିଆ କରୁଛି । ତେବେ ଏଠାରେ କଂଗ୍ରେସ, ବିଜେଡି, ବିଜେପି ମଧ୍ୟରେ ତ୍ରିମୁଖି ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି ।
ସମୀକ୍ଷକଙ୍କ ଅନୁଯାୟୀ, ଏହି ଲୋକସଭା ଆସନରେ ସାଂସଦୀୟ ପ୍ରାର୍ଥୀ ଭାବେ ନୂଆ ମୁହଁକୁ ଦେଖିବାକୁ ମଳିଥାଏ । ଚଳିତ ଥର ମଧ୍ୟ ବିଜେପି ଖାରବେଳ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି । ଜିଲ୍ଲାବାସୀ ଖାରବେଳଙ୍କୁ ଜଣେ ସ୍ୱଚ୍ଛ ନେତା ଭାବେ ଗ୍ରହଣ କରିଥିବା କୁହାଯାଉଥିବା ବେଳେ ବିଜେପି ବା ଖାରବେଳ ମୋଦୀଙ୍କ ବିକାଶ ଯୋଜନା ଓ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଭୋଟ ହାତେଇବାକୁ ପ୍ରୟାସ କରିବ ବୋଲି କୁହାଯାଉଛି । ସେହିପରି ମନୋଜ ସେଠାର ସ୍ଥାୟୀ ବାସିନ୍ଦା ହୋଇଥିବାରୁ ଲୋକେ ତାଙ୍କ ଉପରେ ବିଶ୍ୱାସ କରିବେ ବା ସେ ଲୋକଙ୍କ ସମସ୍ୟାକୁ ନେଇ ଶାସକକୁ ଘେରିବା ସହ ଲୋକଙ୍କୁ ନିଜ ଆଡକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି ।
ଅଚ୍ୟତଙ୍କ ବିଷୟରେ ମିଶ୍ର ଚର୍ଚ୍ଚା ରହିଛି । କିଛି କହୁଛନ୍ତି, କନ୍ଧମାଳ ଅଚ୍ୟୁତଙ୍କ ପାଇଁ ବିଜୟ ଆଣିଦେବ । କାରଣ ଅଚ୍ୟୁତ ତାଙ୍କ କିଟ ସଂସ୍ଥା ମାଧ୍ୟମରେ ଆଦିବାସୀ ପିଲାଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରିଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତେଣୁ ତାଙ୍କୁ ଆଦିବାସୀ ବହୁଳ ଏହି ଜିଲ୍ଲାରେ ସମର୍ଥନ ମିଳିବ । କିନ୍ତୁ ଅପରପକ୍ଷରେ କିଛି ସମୀକ୍ଷକଙ୍କ ଅନୁଯାୟୀ କନ୍ଧମାଳ ପାଇଁ ଅଚ୍ୟୁତ ଏକ ନୂଆ ମୁହଁ । ପ୍ରତିଥର ସରକାର ନୂଆ ନୂଆ ମୁହଁ ଏଠାରେ ଠିଆ କରାଇ ଭୋଟ ହାତେଇ ଆସିଥାଏ, କିନ୍ତୁ ଲୋକଙ୍କ ସ୍ଥିତିରେ କୌଣସି ପରିର୍ବତନ ହୋଇନଥାଏ । ତେଣୁ ଜିଲ୍ଲା ବାସୀ ଅଚ୍ୟୁତଙ୍କ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି । ଶୁଣିବାକୁ ମିଳୁଛି, ଟିକେଟ ମିଳିବା ପରଠାରୁ ଅଚ୍ୟୁତ ଲଗାତର କନ୍ଧମାଳ ଗସ୍ତରେ ଯାଉଛନ୍ତି । ସେଠାରେ ଲୋକଙ୍କୁ, ସେଠା ନେତା, କର୍ମୀ, ବିଭିନ୍ନ ଶ୍ରେଣୀର ବୁଦ୍ଧିଜୀବୀଙ୍କୁ ମାରାଥନ ଭେଟଘାଟ କରୁଛନ୍ତି । କିନ୍ତୁ ଶୁଣିବାକୁ ମିଳୁଛି, କନ୍ଧମାଳ ଲୋକଙ୍କ ବିଶ୍ୱାସ ହାସଲ କରିବାରେ ବିଫଳ ହେଉଛନ୍ତି ଅଚ୍ୟୁତ । ତେବେ ଦେଖିବାକୁ ରହିଲା ଏହି ନିର୍ବାଚନ ରଣାଙ୍ଗନରେ କିଏ ବିଜୟ ହାସଲ କରିବେ ।