ଲକ୍ଷ୍ନୌ : ଆଜି ହେଉଛି ଆଇପିଏଲର ୩୦ ତମ ମ୍ୟାଚ । ମୁହାଁ ମୁହିଁ ହେବେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ । ଏହା ଏକ୍ନା ଷ୍ଟାଡ଼ିୟମରେ ଖେଳାଯିବ ବୋଲି ସୂଚନା ରହିଛି । ମ୍ୟାଚ ମୁଖ୍ୟତଃ ପୂର୍ବତନ ଭାରତୀୟ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଓ ବର୍ତ୍ତମାନର ୱିକେଟରକ୍ଷକ ଋଷଭ ପନ୍ତଙ୍କ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌ ଅପେକ୍ଷା ଚେନ୍ନଇ ସୁପରକିଙ୍ଗ୍ସ ପାଇଁ ଉକ୍ତ ମ୍ୟାଚ ଗୁରୁତ୍ବପୂର୍ଣ୍ଣ ।
ଋଷଭ ପନ୍ତ୍ଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ୬ଟି ମ୍ୟାଚ ଖେଳି ୪ ଟି ବିଜୟ ଓ ଦୁଇଟି ପରାଜିତ ହୋଇଛି। ବ୍ୟାଟିଂରେ ନିକୋଲାସ ପୁରନ ଓ ମିଚେଲ ମାର୍ଶ ଚମତ୍କାର ଫର୍ମରେ ରହିଛନ୍ତି। ସେହିପରି ଚେନ୍ନଇ ସୁପରକିଙ୍ଗ୍ସ ୬ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୫ଟି ପରାଜୟ ସହ ମାତ୍ର ଦୁଇ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। ଦଳ ଚଳିତ ସିଜିନର ପ୍ରଥମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରି ଭଲ ଆରମ୍ଭ କରିଥିବାବେଳେ ଶେଷ ୫ଟି ମ୍ୟାଚରେ ପରାଜିତ ହୋଇଛି।
ପ୍ଳେ ଅଫକୁ ଯିବାକୁ ହେଲେ ଚେନ୍ନଇ ପାଇଁ ଏବେ ଅବଶିଷ୍ଟ ୮ଟି ମ୍ୟାଚ ଗୁରୁତ୍ବପୂୂର୍ଣ୍ଣ ହୋଇଛି। ଏହି ଦୃଷ୍ଟିରୁ ଦଳ ପାଇଁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ କର ବା ମର ସଦୃଶ ହୋଇଛି। ଋତୁରାଗ ଗାଏକ୍ବାର୍ଡ ଆହତ ହୋଇ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡ଼ିବା ପରେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦକୁ ଫେରିଛନ୍ତି। କ୍ୟାପଟେନ କୁଲ ଭାବେ ପରିଚିତ ଧୋନିଙ୍କ ନେତୃତ୍ବରେ ଦଳ କଲକାତା ନାଇଟ୍ ରାଇଡର୍ସ ନିକଟରୁ ଶୋଚନୀୟ ପରାଜୟ ଭୋଗିଥିଲା।