ଦୁନିଆରେ ଅନେକ ରହସ୍ୟ ଲୁଚି ରହିଛି । ଯେତେବେଳେ ଧୀରେ ଧୀରେ ଏହି ରହସ୍ୟର ପେଡି ଖୋଲେ ସେତେବେଳେ ବହୁ ଆଶ୍ଚର୍ୟ୍ୟ କର କଥା ସାମ୍ନାକୁ ଆସେ। ଏମିତି ଏକ ରହସ୍ୟ ରହିଛି ଥାଇଲାଣ୍ଡର ନାଗ ଗୁମ୍ଫାରେ । ଏହି ଗୁମ୍ଫା ନିକଟରେ ଏକ ବିଶାଳକାୟ ସାପ ଭଳି ପଥର ରହିଛି। ଯାହାକୁ ଦେଖିଲେ ଲାଗେ ସତେ ଯେମିତି ବଡ଼ ସାପଟି ପଥର ପାଲଟି ଯାଇଛି । ଏହା ବିଶ୍ୱରେ ନାଗ ଗୁମ୍ପା ନାଁରେ ବେଶ୍ ଜଣାଶୁଣା।
ଫାଙ୍ଗ ନାଗ ସାଗର ନିକଟରେ ଥିବା ଏହି ଗୁମ୍ଫା ପ୍ରାୟ ୩୦୦୦ରୁ ୫୦୦୦ ବର୍ଷ ପୁରୁଣା । ଥାଇଲାଣ୍ଡ ପର୍ୟ୍ୟଟନ ମନ୍ତ୍ରାଳୟ ୱେବ୍ସାଇଟ୍ର ତଥ୍ୟ ଅନୁସାରେ, ଏହି ପଥର ପୂର୍ବୋତ୍ତର ଥାଇଲାଣ୍ଡର ଫୁ ଲଙ୍ଗକା ଜାତୀୟ ଉଦ୍ୟାନରେ ରହିଛି । ଏହି ପଥର ପାଖାପାଖି ୧୦୦,୦୦୦ ବର୍ଷ ଆଗରୁ ନିର୍ମାଣ ହୋଇଥିଲା। ପରେ ୨୦୨୦ ମସିହାରେ ପାଣି ଟାଙ୍କି ସଫା କରୁଥିବା ଏକ ଦଳ ଏହାକୁ ଖୋଜି ପାଇଥିଲେ ।
ପୂର୍ବୋତ୍ତର ଥାଇଲାଣ୍ଡର ବୁଏଙ୍ଗ କାନ୍ ପ୍ରଦେଶ ସ୍ଥିତ ନାଗ ଗୁମ୍ଫାରେ ଥିବା ବିଶାଳକାୟ ପଥର ପୁରାପୂରି ଆନାକୋଣ୍ଡା ଭଳି ଦେଖା ଯାଉଛି। ଏହା ଆନାକୋଣ୍ଡା ନା ଆଉ କ’ଣ ଏହା ଆପଣ ହଠାତ୍ ଜାଣିବା କଷ୍ଟକର। ଏହି ପଥରକୁ ନେଇ ଅନେକ କାହାଣୀ ମଧ୍ୟ ରହିଛି । ସେଠାକାର ଲୋକଙ୍କ ବିଶ୍ୱାସ ରହିଛି ଯେ, ଏହି ପଥର ସେମାନଙ୍କ ପାଇଁ ବର୍ଷା ଆଣିଥାଏ। ଲୋକମାନେ ଏହାକୁ ଦେବତାମାନି ପୂଜା କରିଥାନ୍ତି । ହେଲେ ଏହି କାହାଣୀକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳି ନାହିଁ।