୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଓର୍କେଲ ପୁଲିସ

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ପୁଲିସ ଦ୍ବାରା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ମିଳିଥିବା ସୂଚନାନୁଯାୟୀ କୁଡୁମୁଲୁଗୁମ୍ମା ଅନ୍ତର୍ଗତ ପାଖନାଗୁଡା ଜଙ୍ଗଲରେ କୌଣସି ଅଜଣା ଗଞ୍ଜେଇ ଚୋରା ଚାଲାଣକାରୀ ଦ୍ବାରା ପ୍ରଚୁର ପରିମାଣର ଗଞ୍ଜେଇ ଲୁଚେଇ ରଖା ଯାଇଥିବା ଓର୍କେଲ ପୁଲିସକୁ ସୂଚନା ମିଳିଥିଲା।ଏହା ପରେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ଵରେ  ସଦଳବଳେ ପାଖନାଗୁଡା ଜଙ୍ଗଲରୁ ଗଞ୍ଜେଇକୁ ଖୋଜି ବାହାର କରିବା ସହ ୮ ବସ୍ତା ଗଞ୍ଜେଇ ଜବତ କରାଯାଇଥିଲା। ଉକ୍ତ ଗଞ୍ଜେଇ କାହାର ଏବଂ କିଏ ଜଙ୍ଗଲରେ ଲୁଚେଇ ଥିଲେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳି ପାରିନାହିଁ।କେହି ଚୋରା ଚାଲାଣକାରୀ ଜଙ୍ଗଲରେ ଲୁଚେଇ ଥିଲେ ଏବଂ ଚାଲାଣ କରିବା ପାଇଁ ସୁବିଧା ସୁଯୋଗର ଅପେକ୍ଷାରେ ଥିବା ପୁଲିସ ଅନୁମାନ କରୁଛି। ତେବେ ଜବତ ଗଞ୍ଜେଇକୁ ଓଜନ କରିବାରୁ ୨ ଶହ କେଜି ଗଞ୍ଜେଇ ଥିବାବେଳେ ଏହାର ବଜାର ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସ କହିଛି।ଏନେଇ ଏକ ଏନଡିପିଏସ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।