ଭୁବନେଶ୍ୱର: ନିରବୀ ଯାଇଛି ଗାଁ ଦାଣ୍ଡ । ପୁଅର ମୃତ୍ୟୁରେ ମାଆର କୋଳ ଶୁନ୍ୟ ହୋଇଯାଇଛି । ଏକ ପାଳ ଗଦାରେ ନିଆଁ ଲାଗି ଜୀବନ୍ତ ଜଳିଯାଇଛନ୍ତି ମାମୁଁ ଭଣଜା । ତେବେ ନାବାଳକ ମାମୁଁ ଭଣଜାଙ୍କ ଶୋଚନୀୟ ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକ ଦେଖାଦେଇଛି । ଶୀତରୁ ରକ୍ଷା ପାଇବାକୁ ପାଳ ଗଦାରେ ନିଆଁ ଲଗାଇ ଥିଲେ ମାମୁଁ ଭଣଜା । ମାତ୍ର ସେହି ପାଳଗଦାରେ ନିଆଁରେ ହିଁ ଜୀବନ୍ତ ଜଳିଗଲେ । ଏହି ଅଭାବନୀୟ ଘଟଣାଟି ଘଟିଛି ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗ୍ରାମରେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ଖବର ଅନୁସାରେ, ବସନ୍ତବାହଲ ଗ୍ରାମର ସଞ୍ଜିତ ଉର୍ମାଙ୍କ ପୁଅ କ୍ରୀଷ୍ଣା ଉର୍ମା ନିଜ ମାମୁ ଘର ବଲାକିରାକୁ ୨/୩ ଦିନ ପୂର୍ବେ ବୁଲି ଆସିଥିଲେ। ଗତକାଲି ସନ୍ଧ୍ୟାରେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରୀଷ୍ଣା ଭୋଇ(ମାମୁ)ଙ୍କ ସହ ପାଳ ଗଦା ନିକଟରେ ନିଆଁ ପୁଆଁଉଥିବାବେଳେ ପାଳଗଦାରେ ନିଆଁ ଲାଗି ଯାଇଥିଲା। ଉଭୟ ଭୟଭୀତ ହୋଇ ନିକଟରେ ଲୁଚି ଯାଇଥିଲେ। ହେଲେ ପାଳ ନିଆଁ ପ୍ରସାରିତ ହେବା ସହ ଉଭୟ ଦଗ୍ଧୀଭୂତ ହୋଇଥିଲେ। ଦୁଇ ସଂପର୍କରେ ମାମୁ-ଭଣଜା ବୋଲି ସୂଚନା ମିଳିଛି। ମୃତ ନାବାଳକଙ୍କ ଶବ ଜବତ କରି ବାଉଶୁଣି ପୁଲିସ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଘଟଣାସ୍ଥଳରେ ବାଉଁଶୁଣି ପୁଲିସ ତଦନ୍ତ ଜାରି ରଖିଛି। ରବିବାର ବୌଦ୍ଧ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।