ରାଇରଙ୍ଗପୁର/ ସତ୍ୟନାରାୟଣ ପାଲଙ୍କ : ଆଦିବାସୀ ସମନ୍ୱୟ ସମିତି ଆନୁକୂଲ୍ୟରେ ରାଇରଙ୍ଗପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ଯଶିପୁର ସ୍ନାତକ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ଅଧ୍ୟାପକ ମାଥୁରା ଆଲଡା ଯୋଗ ଦେଇଥିଲେ l ଯେ କୌଣସି ସମାଜର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୀତିର ବିକାଶ ହେଲେ ଯାଇ ସେହି ସମାଜର ବିକାଶ ହୋଇପାରିବ l ଆଦିବାସୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ l ମୁଖ୍ୟବକ୍ତା ଅଧ୍ୟାପକ ଶ୍ରୀ ଆଲଡ଼ା ତାଙ୍କ ବକ୍ତବ୍ୟରେ ଆଦିବାସୀମାନଙ୍କର ଅସ୍ତିତ୍ୱ ଆଜି ସଙ୍କଟରେ ରହିଛି l ନିଜକୁ ଆଦିବାସୀ ବୋଲି ଗର୍ବ କରିବା ସହିତ ଆଦିବାସୀ ନାଁରେ ବିଭିନ୍ନ ସୁବିଧା, ସୁଯୋଗ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ସ୍ବେଛାକୃତ ଭାବେ ନିଜସ୍ୱ ମାତୃଭାଷା, ସଂସ୍କୃତି, ପରମ୍ପରାର ସୁରକ୍ଷା ଓ ବିକାଶ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ l ବିର୍ସା କଣ୍ଡାଙ୍ଗକେଲଙ୍କ ଆବାହକତ୍ୱରେ ଉକ୍ତ କାର୍ଯ୍ୟକ୍ରମକୁ ଚନ୍ଦ୍ରିକା କଣ୍ଡାଙ୍ଗକେଲ ସଂଚାଳନ କରିଥିଲେ l ଜଣେ ଆଦିବାସୀ ଭାରତୀୟ ପ୍ରଶାସନିକ ଅଧିକାରୀ ହେମକାନ୍ତ ସୟଙ୍କୁ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବାରୁ କାର୍ଯ୍ୟକ୍ରମରେ ଖୁସି ବ୍ୟକ୍ତ କରିବା ସହିତ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୁ ଗୋପାଳ ଗୋପ, ସାହିତ୍ୟିକ ଲଳିତ ମହାନ୍ତ, ଧନୀ ବୈପାଇ, ଦୁସୁରୁ ଜେରାଇ ପ୍ରମୁଖ ଅତିଥି ରୂପେ ମଂଚାସୀନ ଥିଲେ l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ମନୋରଞ୍ଜନ ତିରିଆ, ମୋନିକା କଣ୍ଡାଙ୍ଗକେଲ, ସୁନତି କଣ୍ଡାଙ୍ଗକେଲ, ନିତାଇ ପୂର୍ତ୍ତି, ଠାକୁରଦାସ ଅମଙ୍ଗ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l